ରାଜ୍ୟ

ଆସିକା-ଚିକିଟିକୁ ମିଳିଲା ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ୨୩ଟି ସୁପର ସ୍ୱଚ୍ଛ ଲିଗ୍ ସହରକୁ ପୁରସ୍କାର ଦିଆଯାଇଛି। ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବରେ ଉଭା ହେବା ସହିତ ଭାରତର ନୂତନ ପିଢ଼ିର ସ୍ୱଚ୍ଛ ସହର ରୂପେ ମାନ୍ୟତା ଲାଭ କରିଛନ୍ତି। ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ବର୍ଗରେ ପୁରସ୍କୃତ କରାଯାଇଛି। ଏହାଛଡ଼ା ୨୦ ହଜାରରୁ ୫୦ ହଜାର ମଧ୍ୟରେ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ୨୦ ହଜାରରୁ କମ୍ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମର ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି।


ସମ୍ମାନଜନକ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ସମାରୋହରେ, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ପ୍ରୟାଗରାଜକୁ ଶ୍ରେଷ୍ଠ ଗଙ୍ଗା ନଗର ପୁରସ୍କାର ପ୍ରଦାନ କରିଥିଲେ। ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟକୁ ଏହାର ଅନୁକରଣୀୟ ପରିମଳ ପ୍ରୟାସ ପାଇଁ ଶ୍ରେଷ୍ଠ କ୍ୟାଣ୍ଟନମେଣ୍ଟ ବୋର୍ଡ ଭାବରେ ସମ୍ମାନିତ କରାଯାଇଥିଲା। ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ପ୍ରତି ଉଲ୍ଲେଖନୀୟ ପ୍ରତିବଦ୍ଧତା ପାଇଁ ଜିଭିଏମସି ବିଶାଖାପାଟଣା, ଜବଲପୁର ଏବଂ ଗୋରଖପୁରକୁ ଶ୍ରେଷ୍ଠ ସଫେଇ ମିତ୍ର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଥିଲା। ବିଶ୍ୱର ସର୍ବବୃହତ ଧାର୍ମିକ ସମାଗମ ମହାକୁମ୍ଭ ସମୟରେ ଅସାଧାରଣ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୟୁପି ରାଜ୍ୟ ସରକାର, ପ୍ରୟାଗରାଜ ମେଳା ଅଧିକାରୀ ଏବଂ ପ୍ରୟାଗରାଜ ମ୍ୟୁନିସିପାଲ କର୍ପୋରେସନକୁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମହାକୁମ୍ଭ ମେଳାରେ ୬୬ କୋଟି ଲୋକଙ୍କର ସମାଗମ ହୋଇଥିଲା।

Leave a Reply

Your email address will not be published. Required fields are marked *