ସାଇବର ଠକେଇ: ୪ ବର୍ଷରେ ନେଇଗଲେ ୫୦୦ କୋଟି
ଭୁବନେଶ୍ବର: ସମ୍ପ୍ରତି ଦେଶ ସାରା ସାଇବର ଠକେଇ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି। ଅଦୃଶ୍ୟ ଲୁଟେରା ଗ୍ୟାଙ୍ଗ୍ ନୂଆନୂଆ ତରିକାରେ ଲୋକଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି। ୪ ବର୍ଷ ଭିତରେ ଓଡ଼ିଶାରୁ ସାଇବର୍ ଲୁଟେରାମାନେ ୫୦୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। କ୍ରାଇମ୍ବ୍ରାଞ୍ଚ୍ ରିପୋର୍ଟରୁ ଏହି ଭୟାନକ ଚିତ୍ର ସାମ୍ନାକୁ ଆସିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅଥଚ ବର୍ଷ ୨୦୨୪ରେ ଓଡ଼ିଶାରୁ ସାଇବର ଲୁଟେରାମାନେ ୩୫୦ କୋଟିରୁ ଅଧିକ ଲୁଟିଛନ୍ତି। ଏହାର ମୁକାବିଲା କରିବାକୁ ପୁଲିସ ଅଣ୍ଟା ଭିଡ଼ିଛି। ମାତ୍ର ଦୁର୍ବଳ ଭିତ୍ତିଭୂମି ପୁଲିସ ରାସ୍ତାରେ ବାଧା ସୃଷ୍ଟି କରୁଛି। ଏଥିପାଇଁ ଓଡ଼ିଶା ପାଲଟିଛି ସାଇବର ଲୁଟେରାଙ୍କ ହବ୍।
୪ ବର୍ଷରେ ୫୦୦ କୋଟି ଟଙ୍କା ଲୁଟ୍ ହୋଇଥିଲେ ହେଁ ପୁଲିସ ମାତ୍ର ୯ କୋଟି ଫେରାଇ ଆଣିଛି ଏବଂ ମାତ୍ର ୨୦ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି। କ୍ରାଇମ୍ବ୍ରାଞ୍ଚ୍ ରିପୋର୍ଟ ଅନୁସାରେ ୨୦୨୧ରୁ ୨୦୨୪ ମଧ୍ୟରେ ୭,୫୮୩ଟି ସାଇବର ଠକେଇ ଅଭିଯୋଗ ହୋଇଛି। ୨୦୨୧ରେ ରୁଜୁ ହୋଇଥିବା ୨,୦୩୭ଟି ମାମଲାରେ ପ୍ରାୟ ୪୦ କୋଟି ଲୁଟ୍ ହୋଇଥିଲା। ପୁଲିସ ତଦନ୍ତ କରି ୨୬ ଲକ୍ଷ ଟଙ୍କା ଫେରାଇଥିଲା ଏବଂ ୨୧ ଲକ୍ଷ ଟଙ୍କା ବ୍ଲକ୍ କରିଥିଲା। ୨୦୨୨ରେ ୧୯୮୩ ମାମଲା ରୁଜୁ ହୋଇଥିଲା ଏବଂ ଠକେଇ ହୋଇଥିବା ୩୭କୋଟିରୁ ମାତ୍ର ଦେଢ଼ କୋଟି ଟଙ୍କା ଫେରିଥିଲା ଏବଂ ୭୬ ଲକ୍ଷ ଟଙ୍କା ବ୍ଲକ୍ କରାଯାଇଥିଲା। ୨୦୨୩ ରେ ୨,୩୪୮ଟି ମାମଲା ରୁଜୁ ହୋଇଥିଲା। ସାଇବର ଲୁଟେରାମାନେ ୪୭ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ପୁଲିସ ମାତ୍ର ଦେଢ଼ କୋଟି ଟଙ୍କା ଲୋକଙ୍କୁ ଫେରାଇଥିଲା ଏବଂ ୩ କୋଟି ଟଙ୍କା ବ୍ଲକ୍ କରିପାରିଥିଲା। ଏହା ଭିତରେ ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ସଂସ୍ଥା ଲାଗିପଡ଼ିଛି। କିନ୍ତୁ ସେହି ଅନୁସାରେ ସାଇବର ଠକମାନେ ମଧ୍ୟ ନୂଆନୂଆ ଫନ୍ଦି ବାହାର କରିଛନ୍ତି। ଏବେ ଡିଜିଟାଲ୍ ଆରେଷ୍ଟ କରି ଲୋକଙ୍କୁ ଲୁଟୁଛନ୍ତି। ଫଳରେ ୨୦୨୪ରେ ରେକର୍ଡ ୩୫୦ କୋଟି ଟଙ୍କା ଲୁଟ୍ ହୋଇଛି।
ଏନେଇ କ୍ରାଇମ୍ବ୍ରାଞ୍ଚ୍ ଏଡିଜି ବିନୟତୋଷ ମିଶ୍ରଙ୍କ କହିବା କଥା ଲୋକଙ୍କୁ ସଚେତନ କରିବା ପରେ ବି କିଛି ସୁଫଳ ମିଳୁନାହିଁ। ଲୋକେ ଠକେଇର ଗୋଲ୍ଡେନ୍ ଆୱାର୍ ଭିତରେ ଅଭିଯୋଗ କରୁନାହାନ୍ତି। ଠକେଇ ଅର୍ଥ ଫେରିବା ହାର ବେଶ୍ ନୈରାଶ୍ୟଜନକ ବୋଲି ସେ ସ୍ବୀକାର କରିଛନ୍ତି। ଏଥିରେ ଆଇନଗତ ସମସ୍ୟା ରହୁଛି ବୋଲି ସେ କହିଛନ୍ତି। ଓଡ଼ିଶାରେ ସାଇବର ଠକେଇ ରୋକିବାକୁ ଥିବା ଦୁର୍ବଳ ଭିତ୍ତିଭୂମି ସମ୍ପର୍କରେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୁରୁତ୍ବର ସହ ନେଇଛନ୍ତି।
ଖୁବ୍ଶୀଘ୍ର ସ୍ବତନ୍ତ୍ର ସାଇବର ଵିଙ୍ଗ୍ ଗଠନ କରାଯିବା ସହ ସାଇବର ହେଡ୍କ୍ବାର୍ଟର୍ସରେ ଜଣେ ଆଇଜି କିମ୍ବା ଏଡିଜି ରୢାଙ୍କ୍ର ଅଫିସର ନିୟୋଜିତ ହେବେ। ସେହିଭଳି ସବୁ ଜିଲ୍ଲାରେ ୩୦ ସାଇବର ଥାନା ପ୍ରତିଷ୍ଠା କରାଯିବ। ଏବେ ରାଜ୍ୟରେ ୧୪ଟି ସାଇବର୍ ଥାନା ଅଛି ଏବଂ ଆଉ ୨୦ଟି ସାଇବର୍ ଥାନା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି।