ଆକ୍ରମଣ ପାଇଁ ସଙ୍କେତ: ୩ ସେନା ମୁଖ୍ୟଙ୍କ ସହ ଆଲୋଚନା ପରେ ଶାହ, ଭାଗବତଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ରଣନୀତି ବୈଠକ ଅନୁଷ୍ଠିତ ହୋଇଛି। ୯୦ ମିନିଟ୍ର ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତିନି ସେନା ମୁଖ୍ୟଙ୍କୁ କହିଛନ୍ତି ଯେ ଆତଙ୍କବାଦକୁ କଡ଼ା ଜବାବ ଦେବା ଆମର ଦୃଢ଼ ଜାତୀୟ ସଂକଳ୍ପ ଏବଂ ଦେଶର ଶତ୍ରୁ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ସଂପୂର୍ଣ୍ଣ ସ୍ବାଧୀନ। ଭାରତୀୟ ସଶସ୍ତ୍ର ବାହିନୀର ବୃତ୍ତିଗତ ସାମର୍ଥ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେନା ନିଜର କାର୍ଯ୍ୟାନୁଷ୍ଠାନ ପାଇଁ ସଂପୂର୍ଣ୍ଣ ସ୍ବାଧୀନ ନିଷ୍ପତ୍ତି ନେଇପାରିବ। ପାକିସ୍ତାନ ବିରୋଧରେ କୌଣସି ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସୀମା ଅଞ୍ଚଳର ସୁରକ୍ଷା ସ୍ଥିତି ନେଇ ଆଜି ବିଭିନ୍ନ ସ୍ତରରେ ବିସ୍ତୃତ ସମୀକ୍ଷା କରାଯାଇଛି। ଏହାସହିତ ଅନ୍ତର୍ଜାତୀୟ ସମର୍ଥନ ହାସଲ ପାଇଁ ମଧ୍ୟ ଭାରତ ଅହରହ ପ୍ରୟାସ ଜାରି ରଖିଛି। ଆଜି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍ଏସ୍ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲ୍, ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଅନୀଲ ଚୌହାନ, ସ୍ଥଳସେନା ମୁଖ୍ୟ
ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ସୁରକ୍ଷା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ପୃଥକ ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ବୈଠକ ପରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ମଧ୍ୟ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକ ହେବ।