ମାଟ୍ରିକ ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନାଁହାନ୍ତି କି? ଏହିଦିନଠାରୁ କରିପାରିବେ ରିଚେକିଂ
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ତେବେ ଏହି ପରୀକ୍ଷା ଫଳକୁ ନେଇ ଆପଣ ସନ୍ତୁଷ୍ଟ ନାହାନ୍ତି କି? ଅଧିକ ମାର୍କ ରଖିବାର ଆଶା ଥିଲା ଓ ଚେକିଂ ପାଇଁ ଆବେଦନ କରିବାକୁ ଚାଁହୁଛନ୍ତି କି? ଯଦି ହଁ, ତେବେ ଜାଣନ୍ତୁ କେବେଠାରୁ ଆପଣ ରିଚେକିଂ ପାଇଁ ଆବେଦନ କରିବେ | ୭୨ ଘଣ୍ଟା ପରେ ୱେବସାଇଟ୍ https://bsedigicertificate.odisha.gov.in/ ମାଧ୍ୟମରେ ଡିଜିଟାଲ୍ ମାଟ୍ରିକ୍ ପ୍ରମାଣପତ୍ର ପାଇପାରିବେ ଛାତ୍ରଛାତ୍ରୀ । ଏଥିସହ ହ୍ବାଟ୍ସଆପ ନମ୍ବର 77100-58192 ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ ।
ମେ’ ୫ ରୁ ମେ’ ୧୬ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ । ଅନଲାଇନ୍ ମାଧ୍ୟମରେ ହାଇସ୍କୁଲ ସାର୍ଟିଫିକେଟ୍ ଛାତ୍ରଛାତ୍ରୀ ଆବେଦନ କରିପାରିବେ ଏବଂ ଅଫଲାଇନ୍ SOCS ଏବଂ ମଧ୍ୟମା ଛାତ୍ରଛାତ୍ରୀ ଆବେଦନ କରିବେ । ଉଲ୍ଲେଖ ଥାଉ କି ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪ ଲକ୍ଷ ୮୪ ହଜାର ୮୬୩ ଜଣ ପାସ୍ ହୋଇଛନ୍ତି । ଚଳିତଥର ପାସ୍ହାର ୯୪.୯୩ % ରହିଛି । ସେହିପରି ଛାତ୍ରଙ୍କ ପାସ୍ହାର ୯୪ % ଥିବାବେଳେ ଛାତ୍ରୀଙ୍କ ପାସ୍ହାର ୯୬ % ରହିଛି । ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ ।