ରାଜ୍ୟ

ସାମ୍ବାଦିକ ମାନେ ସମାଜର ଆଇନା: ଏମ ଜେ ଆକବର

ନୂଆଦିଲ୍ଲୀ: ସାମ୍ବାଦିକ ମାନେ ସମାଜର ଆଇନା । ସଚେତନତା ଏବଂ ଏକତା ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧି ନିଜର ସ୍ୱାର୍ଥ ସୁରକ୍ଷିତ କରିବାକୁ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବର ଆହ୍ୱାନ କରିଛନ୍ତି । ଗଣତନ୍ତ୍ରରେ ଚତୁର୍ଥସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମର ସ୍ୱାର୍ଥ ସୁରକ୍ଷା ହୋଇପାରିଲେ ସମାଜର ସ୍ୱାର୍ଥ ସୁରକ୍ଷିତ ହୋଇପାରିବ ବୋଲି ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟମ ଖବରକାଗଜ ମହାସଂଘର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଆକବର କହିଛନ୍ତି । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପୂର୍ବତନ କୂଟନିତିଜ୍ଞ ଅମରେନ୍ଦ୍ର ଖଟୁଆ କହିଛନ୍ତି ଯେ ସମାଜରେ କଷ୍ଟ ସହି ସାମ୍ବାଦିକ ମାନେ ହିଁ ସତ୍ୟକୁ ଉଜାଗର କରୁଛନ୍ତି । ଏପର୍ଯ୍ୟନ୍ତ କ୍ଷୁଦ୍ର ଏବଂ ମଧ୍ୟମ ଖବରକାଗଜର ସମସ୍ୟାର ସମାଧାନ ଦିଗରେ ବିଶେଷ ପ୍ରଚେଷ୍ଟା ହୋଇନାହିଁ । ସାମ୍ବାଦିକମାନେ ନିଜ ସ୍ୱରକୁ ଅଧିକ ଶାଣିତ କରିବା ନିମନ୍ତେ ଶ୍ରୀ ଖଟୁଆ ଆହ୍ୱାନ କରିଛନ୍ତି । କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ମହାସଂଘର ରାଷ୍ଟ୍ରିୟ ସଭାପତି ଡ. ପବିତ୍ର ମୋହନ ସାମନ୍ତରାୟ କହିଛନ୍ତି ଯେ କ୍ଷୁଦ୍ର ଓ ମଧ୍ୟମ ଖବରକାଗଜର ସମସ୍ୟା ବିଷୟରେ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଏହି କ୍ଷେତ୍ରର ସ୍ୱାର୍ଥ ସୁରକ୍ଷା ନିମନ୍ତେ ଆବଶ୍ୟକ ପଡ଼ିଲେ ଏକାଠି ହୋଇ ଆଗାମୀ ଦିନରେ ଲଢ଼େଇ କରାଯିବ । ମହାସଂଘର ରାଷ୍ଟ୍ରିୟ ଆବାହକ ମେହେତାବ ଖାନ ଚାନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ମହାସଚିବ ବି ଏସ ଦେଶପାଣ୍ଡେ, ପ୍ରତିଷ୍ଠାତା ସଦସ୍ୟ ଶିବପ୍ରକାଶ ଓ କେ ସଞ୍ଜୀବ, ସୁପ୍ରିମକୋର୍ଟ ଆଇନଜୀବୀ ସ୍ନେହାଶିଷ ମୁଖାର୍ଜୀ, ପୂର୍ବତନ ମନ୍ତ୍ରୀ ମୁକୁଲ ଉପାଧ୍ୟାୟ, ଧାର୍ମିକ ଗୁରୁ ପୁଜାନନ୍ଦ ଗିରି ମହାରାଜ ଏବଂ ମା ବୈଷ୍ଣବ ଦେବୀ ମନ୍ଦିରର ଟ୍ରଷ୍ଟି ସୁଶ୍ରୀ ଚାନ୍ଦିନୀ ଦେବୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ଦେଶର ବିଭିନ୍ନ ଅଞ୍ଚଳରୁ ଶତାଧିକ କ୍ଷୁଦ୍ର ଓ ମଧ୍ୟମ ଖବରକାଗଜ ପ୍ରକାଶକ, ମୁଦ୍ରକର ଏବଂ ସମ୍ପାଦକ ମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *