ବ୍ରିଜ୍ରେ ଅଘଟଣ: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ବର: କଟକ ଖାନ୍ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଶନିବାର ଅପରାହ୍ଣରେ ଘଟିଥିବା ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ସାମାଜିକ ଗଣମାଧ୍ୟମରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ₹୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍ କାମ ଜାରି ରହିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାମ ପାଇଁ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଅନ୍ୟ ଦିନ ଭଳି ଆଜି ମଧ୍ୟ ଏଠାରେ ନିର୍ମାଣ କାମ ଚାଲିଥିଲା। କିନ୍ତୁ ଅପରାହଣ୍ ସମୟରେ ଅଘଟଣ ଘଟିଥିଲା। ବ୍ରିଜ୍ ଉପରେ କିଛି ଶ୍ରମିକ କାମ କରୁଥିବା ବେଳେ ଅନ୍ୟମାନେ ବ୍ରିଜ୍ ତଳେ ଥିଲେ। ଅଚାନକ ବ୍ରିଜ୍ ଉପରୁ ସ୍ଲାବ ପଡ଼ିଯିବା କାରଣରୁ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣ ଶ୍ରମିକ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣ (ଅରୁଣ ବାରିକ ଓ ବିକଳ ଜେନା)ଙ୍କର ଚିକିତ୍ସା ଜାରି ରହିଛି।