ମୁଖ୍ୟ ଖବର

ପାକିସ୍ତାନ ଉପରେ ଦୁଇପଟୁ ଆକ୍ରମଣ:ବାଲୁଚଙ୍କ ଭୟରେ ଚେକ୍ ପୋଷ୍ଟ ଛାଡି ପଳାଇଲେ ପାକିସ୍ତାନୀ ସେନା

ଇସଲାମାବାଦ: ଭାରତ ସହିତ ପୂର୍ବ ସୀମାରେ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଏବେ ପଶ୍ଚିମ ମୋର୍ଚ୍ଚାରେ ମଧ୍ୟ ଏକ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି। ପାକିସ୍ତାନ ଉପରେ ଦୁଇପଟୁ ଆକ୍ରମଣ ଜାରି ରହିଛି। ବେଲୁଚିସ୍ତାନରେ ସ୍ୱାଧୀନତା ଦାବି କରୁଥିବା ବେଲୁଚ୍ ବିଦ୍ରୋହୀମାନେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି।

ବେଲୁଚିସ୍ତାନର ପାଞ୍ଚଟି ସ୍ଥାନରେ ବିଏଲଏ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲେ। ବିଏଲଏ ଦ୍ୱାରା ଆକ୍ରମଣ କରାଯାଇଥିବା ପାକ୍ ସେନା ଘାଟିଗୁଡ଼ିକରେ କ୍ୱେଟା, ଉଥହାଲ, ସୋହବତପୁର, ପଞ୍ଜଗୁରର ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ,  ତିନୋଟି ପ୍ରମୁଖ ସଶସ୍ତ୍ର ବାଲୁଚ୍ ଗୋଷ୍ଠୀ ପ୍ରଦେଶର ଅନେକ ଅଂଶ ଉପରେ ନିୟନ୍ତ୍ରଣ ଦାବି କରିଛନ୍ତି। ପାକିସ୍ତାନ ଉପରେ ଦୋହରା ମାଡ଼ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ଗୁରୁବାର ଏବଂ ଶୁକ୍ରବାର ଦିନ ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସମୟରେ ଅନେକ ବିସ୍ଫୋରଣ ଏବଂ ଗୁଳିଚାଳନା ଘଟଣା ଘଟିଥିବା ରିପୋର୍ଟ କରାଯାଇଛି। ସୋସିଆଲ ମିଡିଆରେ ସେୟାର ହେଉଥିବା ଫଟୋ ଏବଂ ଭିଡିଓଗୁଡ଼ିକରେ ଦେଖିବାକୁ ମିଳୁଛି, ସେସବୁ ଅଞ୍ଚଳରେ ପାକିସ୍ତାନର ଜାତୀୟ ପତାକାକୁ ହଟାଇ ଦିଆଯାଇଛି ଏବଂ ଅନେକ ସ୍ଥାନରେ ବାଲୁଚ୍ ପତାକା ଲଗାଯାଇଛି।

ଶୁକ୍ରବାର ଦିନ, କ୍ୱେଟାର ଫୈଜାବାଦ ଅଞ୍ଚଳରେ ବେଲୁଚ୍ ବିଦ୍ରୋହୀମାନେ ପାକିସ୍ତାନୀ ସେନାର ଏକ ଅଭିଯାନ ଦଳକୁ ଟାର୍ଗେଟ କରିଥିଲେ। ସିବିରେ ଏକ ସେନା ଶିବିର ଉପରେ ଗ୍ରେନେଡ ଆକ୍ରମଣ କରାଯାଇଥିଲା। ଗୁରୁବାର କ୍ୱେଟାର ଚାରୋଟି ଭିନ୍ନ ଭିନ୍ନ ସ୍ଥାନରେ ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀ ଦ୍ୱାରା ଆକ୍ରମଣ କରାଯାଇଥିଲା।

ବେଲୁଚିସ୍ତାନର ସ୍ଥାନୀୟ ଗଣମାଧ୍ୟମ ସୂତ୍ର ‘ରେଡିଓ ଜ୍ରୁମ୍ବେଶ ଇଂରାଜୀ’ ଅନୁଯାୟୀ, ବାଲୁଚ୍ ଲିବରେସନ୍ ଆର୍ମି କେଚ୍, ମାସ୍ତୁଙ୍ଗ ଏବଂ କାଚିରେ ପାକିସ୍ତାନୀ ସେନା ଏବଂ ସେମାନଙ୍କର ସହଯୋଗୀମାନଙ୍କୁ ଟାର୍ଗେଟ କରି  ଛଅଟି ସଂଗଠିତ ଆକ୍ରମଣ କରିଥିଲା।

ବାଲୁଚ୍ ଲେଖକ ମୀର ୟାର ବାଲୁଚ୍ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ବାଲୁଚ୍ ଲୋକମାନେ ଏବେ ନିଜର ପତାକା ଉତ୍ତୋଳନ କରୁଛନ୍ତି ଏବଂ ପାକିସ୍ତାନୀ ପତାକା ତଳକୁ କାଢି ଦେଉଛନ୍ତି। ବିଶ୍ୱ ପାଇଁ ପାକିସ୍ତାନରୁ ସେମାନଙ୍କର କୂଟନୈତିକ ମିସନକୁ ପ୍ରତ୍ୟାହାର କରି ସ୍ୱାଧୀନ ବେଲୁଚିସ୍ତାନକୁ ସ୍ଥାନାନ୍ତର କରିବାର ସମୟ ଆସିଛି।

Leave a Reply

Your email address will not be published. Required fields are marked *