ମାଛ ଧରିବାକୁ ଯିବା ବେଳେ ଭୟଙ୍କର ବିସ୍ଫୋରଣ: ଦୁଇ ମୃତ, ଯୁବକ ଗୁରୁତର
ଛତିଆ: ମାଛ ଧରିବାକୁ ଯାଉଥିବା ବେଳେ ୩ ଜଣ ମତ୍ସ୍ୟଜୀବୀ ବୋମା ବିସ୍ଫୋରଣର ଶିକାର ହୋଇଛନ୍ତି। ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ ଛତିଆ ବାଇପାସ୍ ବସ୍ଷ୍ଟାଣ୍ଡ ସମ୍ମୁଖରେ ଆଜି ଅପରାହ୍ଣଷର ଭୟଙ୍କର ବିସ୍ଫୋରଣ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତିମାନେ ହେଲେ ରାମ ପିଙ୍ଗୁଆ ଓ ମଣ୍ଟୁ ପାତ୍ର। ଆହତ ନେପାଳୀ ପୂର୍ତ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିସ୍ଫୋରଣ ପରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଏକ ବାଇକ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେ ତେଣେ ପଡ଼ିଛି।
ଘଟଣାରୁ ପ୍ରକାଶ ଯେ ବଡ଼ଚଣା ଖଇରା ହାଟ ଆଦିବାସୀ ସାହିର ରାମ ପିଙ୍ଗୁଆ, ନେପାଳୀ ପୂର୍ତ୍ତି ଏବଂ ଚଣ୍ଡିତଳର ମଣ୍ଟୁ ପାତ୍ର ମାଛ ମାରିବା ଆଜି ଅପରାହ୍ଣରେ ବାହାରି ଥିଲେ। ଛତିଆ ଅଭିମୁଖେ ବାଇକ୍ (ଓଡି-୦୪ଭି-୭୭୪୭)ରେ ଡିନାମାଇଟ ନେଇ ଯାଉଥିଲେ। ଛତିଆ ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ଦେଶୀ ମଦ ଦୋକାନ ନିକଟରେ ଓହ୍ଲାଇଥିବା ସମୟରେ ଡିନାମାଇଟ ଫୁଟିଯାଇଥିଲା। ଫଳରେ ଘଟଣାସ୍ଥଳରେ ରାମ ପିଙ୍ଗୁଆ ଓ ମଣ୍ଟୁ ପାତ୍ରଙ୍କର ମୃତ୍ୟୁ ହୋଇଥିଲା। ଦୁହିଁଙ୍କର ଶରୀର ଖଣ୍ଡଖଣ୍ଡ ହୋଇ ଏଣେତେଣେ ପଡ଼ିଥିଲା।
ବୈରୀ ଥାନା ଅଧିକାରୀ ଅଂଶୁମାଳା ଦାସ ସଦଳବଳ ପହଞ୍ଚି ଆହତ ନେପାଳୀ ପୂର୍ତ୍ତିକୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ, ବଡ଼ଚଣା ଥାନା ଅଧିକାରୀ ଚିନ୍ମୟୀ ବେହେରା, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଓ ୨ ପ୍ଲାଟୁନ ଫୋର୍ସ ପହଞ୍ଚିଥିଲେ। ସାଇଣ୍ଟିଫିକ ଟିମ୍ ଜରିଆରେ ଛିନ୍ନଛତ୍ର ହୋଇ ପଡ଼ିଥିବା ଶରୀରର ଅଂଶ ଗୁଡ଼ିକୁ ଏକତ୍ରିତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।