ରାଜ୍ୟ

ଶେଷଧାଡ଼ିର ଲୋକଙ୍କ ପାଖକୁ ମୌଳିକ ସୁବିଧା ପହଞ୍ଚାଇବା ଆମର ଉଦ୍ଦେଶ୍ୟ

ଭୁବନେଶ୍ୱର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି।  

ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣମାନଙ୍କ ପାଖକୁ ପହଞ୍ଚେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଛାଡ଼ିଦେଲା ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ବ୍ଲକ୍‍ ସ୍ତରରେ ବିଡିଓ’ଙ୍କର ଗୁରୁଦାୟିତ୍ୱ ରହିଛି। 

ଆପଣମାନେ କ୍ଷେତ୍ରସ୍ତରରେ ଲୋକଙ୍କ ସହିତ ସିଧାସଳଖ ମିଶନ୍ତି। ସେମାନଙ୍କର ସୁବିଧା ଅସୁବିଧା ଜାଣନ୍ତି। ତେଣୁ ମୁଖ୍ୟ କଥା ହେଉଛି, ସରକାରଙ୍କ ସବୁ ଯୋଜନାକୁ ଆପଣମାନେ ଲୋକଙ୍କ ପାଖକୁ ଠିକ୍‍ ଭାବରେ ପହଞ୍ଚାନ୍ତୁ। ସେମାନଙ୍କୁ କୌଣସି ପରିସ୍ଥିତିରେ ଦୟାର ପାତ୍ର ବୋଲି ଭାବିବେ ନାହିଁ। ଯୋଜନାଗୁଡ଼ିକ ହେଉଛି କେବଳ ଲୋକଙ୍କ ପାଇଁ। ଏହା ସେମାନଙ୍କ ଅଧିକାର। ସରକାର ଓ ଲୋକଙ୍କ ଭିତରେ ଆପଣମାନେ ହେଉଛନ୍ତି ସେତୁ। ସେତୁ ସୁଦୃଢ଼ ଓ ପ୍ରଶସ୍ତ ହେଲେ ଯୋଗାଯୋଗ ବ୍ୟବସ୍ଥା ଭଲ ହୁଏ ବୋଲି ସେ କହିଥିଲେ। 

Leave a Reply

Your email address will not be published. Required fields are marked *