ଅଦିନିଆ ବର୍ଷାରେ ବେହାଲ ବେଙ୍ଗାଲୁରୁ: ଚାରିଆଡେ ପାଣି… ପାଣି ଆଉ ପାଣି… କାନ୍ଥ ଭୁଶୁଡ଼ି ଜଣେ ମୃତ
ବେଙ୍ଗାଲୁରୁ: ଅଦିନିଆ ବର୍ଷାରେ ବୁଡ଼ିଲା ବେଙ୍ଗାଲୁରୁ । ପ୍ରବଳ ବର୍ଷା ଆଣିଲା ଅଦିନିଆ ବନ୍ୟା ପରିସ୍ଥିତି । ଚାରିଆଡେ ପାଣି ପାଣି ଆଉ ପାଣି । ରବିବାର ରାତିରୁ ବର୍ଷା ଢାଳୁଛି ଯେ ଢାଳୁଛି । ଦୀର୍ଘ ୬ ଘଣ୍ଟା ଧରି ଲଗାଣ ବର୍ଷା କାରଣରୁ ବୁଡିଛି ସହର, ବେହାଲ ହୋଇଛି ବେଙ୍ଗାଲୁରୁ । ସ୍ଥାନେ ସ୍ଥାନେ ଜମିଛି ବର୍ଷା ପାଣି, ରାସ୍ତା ନଦୀ ପରି ଲାଗୁଛି ।
ଗଳିକନ୍ଦି, ଛକ, ବଜାର ସବୁଠି ଜଳବନ୍ଦୀ ଜୀବନ । ପାଣି ଘେରରୁ ଲୋକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ ପହଞ୍ଚିଛନ୍ତି ଅନେକ ସ୍ଥାନରେ ଉଦ୍ଧାର କରାଯାଇଛି । ସବୁଠୁ ବଡ କଥା ହେଉଛି ଆଇଟିସିଟି ବେଙ୍ଗାଲୁରୁର ତଳତଳିଆ ଅଞ୍ଚଳ ନୁହେଁ ମୁଖ୍ୟ ସହରାଞ୍ଚଳରେ ମଧ୍ୟ ପାଣି ଜମାଟ ବାନ୍ଧିଛି । ସ୍ଥାନୀୟ ବାସିନ୍ଦା ନାକେଦମ ହେବା ପରେ ସ୍ଥାନୀୟ ପ୍ରଶାସନ ବିରୋଧରେ ଅଭିଯୋଗ ଆଣିଛନ୍ତି । ଡ୍ରେନ ପାଣି ନିଷ୍କାସନରେ ତ୍ରୁଟି ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଲୋକେ ।
ସେପଟେ ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବର୍ଷା ମଙ୍ଗଳବାର ଯାଏଁ ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।