ଓଡ଼ିଶା ହେଉଛି ସୀମାହୀନ ସୁଯୋଗର ଭୂମି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/କଳିଙ୍ଗନଗର: ଓଡିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡ଼ି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ, ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏହା ଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ଆଜି ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଯାଜପୁର ଜିଲ୍ଲାରେ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି କାର୍ଯ୍ୟକ୍ରମ, ଶିଳାନ୍ୟାସ ନୁହେଁ, କି ଉଦ୍ଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ଏହିସବୁ ପ୍ରକଳ୍ପ ଯୋଗୁଁ ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ଏକ ସଂଖ୍ୟା ନୁହେଁ। ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଆମ ଗାଁର ଜଣେ ଯୁବକଙ୍କୁ ଆଉ ନିଯୁକ୍ତି ବାହାରକୁ ଯିବାକୁ ପଡ଼ିବ ନାହିଁ। ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହୋଇଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କଳିଙ୍ଗନଗର ଠାରେ ୨୦ଟି ଶିଳ୍ପର ଶିଳାନ୍ୟାସ କରାଗଲା। ଏହା ସମ୍ଭବ ହୋଇଛି, ଆମ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ। କାରଣ, ଯଦି ଇଚ୍ଛାଶକ୍ତି ନାହିଁ ତେବେ ପାଦେ ଆଗେଇବାକୁ ମଧ୍ୟ ମଣିଷ ସକ୍ଷମ ହୋଇପାରେ ନାହିଁ। ଆଜି ଆମ ସରକାର ନିଜର ଦୃଢ ଇଚ୍ଛା ଶକ୍ତିର ନିଦର୍ଶନ ଦେଖାଇଛନ୍ତି। ସେ କହିଥିଲେ ଯେ ମାତ୍ର ୧୧୩ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ଆମ ସରକାର ପୂରଣ କରିଛନ୍ତି। ଆଜି ଏହି ଯେଉଁ ସବୁ ପ୍ରକଳ୍ପ ଆପଣମାନଙ୍କ ସମ୍ମୁଖରେ ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ଏହି ସମସ୍ତ ପ୍ରକଳ୍ପର ମେକ୍-ଇନ୍-ଓଡିଶା କନ୍କ୍ଲେଭରେ ସ୍ୱାକ୍ଷରିତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।