ରାତି ପାହିଲେ ସାବିତ୍ରୀ ବ୍ରତ: ବଜାରରେ ପ୍ରବଳ ଭିଡ଼, ଦର ବୃଦ୍ଧି ନେଇ ଚିନ୍ତାରେ ଗ୍ରାହକ
ଭୁବନେଶ୍ବର: ରାତି ପାହିଲେ ସାବିତ୍ରୀ ବ୍ରତ। ସଧବା ମହିଳାଙ୍କ ପାଇଁ ଉପାସନାର ଶ୍ରେଷ୍ଠ ଦିନ। ସ୍ବାମୀଙ୍କ ଦୀର୍ଘାୟୁ ଜୀବନ କାମନା କରି ବିବାହିତାମାନେ ଏହି ବ୍ରତ କରିବେ। ସକାଳ ଠାରୁ ଅପରାହ୍ଣ ଯାଏଁ ମହିଳାମାନେ ପୂଜାକାର୍ଯ୍ୟରେ ବ୍ୟସ୍ତ ରହିବେ। ଏହି ବ୍ରତକୁ ନେଇ ବିବାହିତାମାନେ ଉତ୍ସାହିତ ଥିବା ବେଳେ ସେମାନଙ୍କର ସ୍ବାମୀମାନେ ଅଥବା ବାପଘର ଲୋକେ ସାବିତ୍ରୀ ବଜାରରେ ଅହେତୁକ ଦର ବୃଦ୍ଧି ପାଇଁ ଚିନ୍ତା ପ୍ରକଟ କରୁଛନ୍ତି।
ପ୍ରତିବର୍ଷ ଭଳି ଏଥର ମଧ୍ୟ ସାବିତ୍ରୀ ବଜାରରେ ଦରଦାମ ବୃଦ୍ଧି ଘଟିଥିବା ପରିଲକ୍ଷିତ ହୋଇଛି। ଏଥର କିନ୍ତୁ ଆଉ ଟିକେ ଭିନ୍ନ। କିଛି ଫଳ ଦୋକାନରେ ଗ୍ରାହକଙ୍କୁ ଦୋକାନୀମାନେ ଲିଚୁ କିଲୋରେ ଦେବାକୁ ରାଜି ନୁହଁନ୍ତି। ତେଣୁ ଗ୍ରାହକଙ୍କୁ ଲିଚୁ ଗୋଟିକୁ ଦଶ ଟଙ୍କା ଦେଇ କିଣିବାକୁ ପଡୁଛି। ରାଜଧାନୀ ଭୁବନେଶ୍ବରରେ ଲିଚୁ କିଲୋ ପିଛା ୨୮୦ ଟଙ୍କାରେ ବିକ୍ରି ହୋଇଛି। ଦର ବୃଦ୍ଧି ଗ୍ରାହକଙ୍କୁ କଷ୍ଟ ହେଉଥିଲେ ମଧ୍ୟ ବାଧ୍ୟ ହୋଇ କିଣୁଛନ୍ତି। ତେବେ ଲିଚୁ ଦର ବୃଦ୍ଧି ନେଇ କାରଣ ଜାଣିବାକୁ ଚେଷ୍ଟା କରାଯିବାରୁ ଜଣା ପଡ଼ିଛି ଯେ, ଏଥର ଜଳବାୟୁ ପରିବର୍ତ୍ତନ ଓ କୁଆପଥର ଯୋଗୁଁ ରାଜ୍ୟରେ ଲିଚୁ ଚାଷ ବ୍ୟାପକ ପ୍ରଭାବିତ ହୋଇଛି। ବାହାର ରାଜ୍ୟରୁ ଆସୁଥିବା ଲିଚୁ ଓଡ଼ିଶା ବଜାରରେ ରାଜ୍ କରୁଛି, ଯେଉଁଥି ପାଇଁ ଦର ବଢ଼ିଛି।
ଚଳିତ ବର୍ଷ ଦେବଗଡ଼ ଜିଲ୍ଲାରେ ଲିଚୁ ଚାଷ ଉଜୁଡି ଯାଇଛି। ଏହାରି ମଧ୍ୟରେ ଯାହା କିଛି ଉତ୍ପାଦନ ହୋଇଛି, ତାହା ମଧ୍ୟ ଉତ୍ସାହଜନକ ନୁହେଁ। ବିଗତ ୩ବର୍ଷର ରେକର୍ଡ ଯଦି ଦେଖିବା ପ୍ରତିବର୍ଷ ଉତ୍ପାଦନ ହ୍ରାସ ପାଉଛି। ଫଳରେ ଚାଷୀମାନେ ଲିଚୁ ଚାଷ ପ୍ରତି ମୁହଁ ଫେରାଉଛନ୍ତି। ଦେବଗଡ଼ର ବାରକୋଟ ବ୍ଲକ କଲ୍ଲା, ସୋଇଡ଼ା, କଣ୍ଟାପାଲି ଓ ରମ୍ଭେଇ ଅଞ୍ଚଳରେ ଲିଚୁ କରାଯାଉଛି। ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ମଧ୍ୟ ଲିଚୁ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।