ପାକିସ୍ତାନୀ ଗୁପ୍ତଚରଙ୍କୁ ଖୋଜୁଛି ଏନଆଇଏ: ଦେଶର ବିଭିନ୍ନ ରାଜ୍ୟରେ ଚାଲିଛି ଜୋରଦାର ଚଢାଉ
ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚରଙ୍କୁ ଜୋରଦାର ଚାଲିଛି ଖୋଜା । ପହଲଗାମ୍ ହମଲା ପରେ ଭାରତୀୟ ଲୋକଙ୍କ ପାକ୍ ଲିଙ୍କ ନେଇ ଜୋରଦାର ଚାଲିଛି ଅଭିଯାନ । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ସନ୍ଦେହରେ ୮ ରାଜ୍ୟର ୧୫ଟି ସ୍ଥାନରେ ଏନଆଇଏର ରେଡ୍ ।
ପାକ୍ ଗୁଇନ୍ଦାଙ୍କୁ ଖୋଜୁଛି ଏନଆଇଏ । ଦେଶବିରୋଧୀ ତତ୍ତ୍ବଙ୍କୁ ଖୋଜି ବାହାର କରିବା ପାଇଁ ବଡ଼ ଅପରେସନ ଜାରି ରହିଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଦ୍ବାରା ଦେଶବ୍ୟାପୀ ବଡ଼ ଧରଣର ଚଢ଼ାଉ ଚାଲିଛି । ୮ ରାଜ୍ୟରେ ଏନଆଇଏ ଟିମ୍ ଛାନଭିନ୍ ଚଳାଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ୮ଟି ରାଜ୍ୟର ୧୫ଟି ସ୍ଥାନରେ ବଡ଼ ଧରଣର ତଲାସୀ ଅଭିଯାନ ଚଳାଇଛି । ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଛି ।
ତେବେ ଏହି ସମୟରେ ଅନେକ ଇଲେକ୍ଟ୍ରୋନିକ୍ ଉପକରଣ ଓ ସମ୍ବେଦନଶୀଳ ଦସ୍ତାବିଜ ଜବତ ହୋଇଥିବା ସୂଚନା ରହିଛି । ତଲାସୀ କରାଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରହିଛି । ଏମାନେ ଭାରତରେ ଗୁଇନ୍ଦାଗିରି କାର୍ଯ୍ୟକଳାପ ପାଇଁ ଆର୍ଥିକ କାରବାର କରୁଥିଲେ । ଏନଆଇଏ ଏହି ମାମଲାରେ ତଦନ୍ତ ଜାରି ରଖିଛି ଏବଂ ଆଗାମୀ ଦିନରେ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ହରିଆଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପାକ୍ ଲିଙ୍କ କଥା ସାମ୍ନାକୁ ଆସିବା ପରେ ଏବେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅନ୍ୟ ଗୁପ୍ତଚରଙ୍କୁ ବାନ୍ଧିବାକୁ ଉଦ୍ୟମ ଚାଲିଛି ।