‘ମାଲେସିଆ ସାଂସଦମାନେ ଭାରତକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି’
କୁଆଲାଲମ୍ପୁର: ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ମାଲେସିଆର ସାଂସଦମାନଙ୍କୁ ଭେଟିଛନ୍ତି। ଏହି ବୈଠକକୁ ଫଳପ୍ରଦ ବୋଲି ବର୍ଣ୍ଣନା କରି ଝା ଭାରତର ଆଭିମୁଖ୍ୟ ପ୍ରତି ଦୃଢ଼ ସମର୍ଥନ ମିଳିଥିବା ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ଝା କହିଛନ୍ତି, ମାଲେସିଆ ସାଂସଦମାନେ ଏହି ପ୍ରସଙ୍ଗରେ ଅବଗତ ଥିଲେ ଏବଂ ସେମାନେ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଆଞ୍ଚଳିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଶାନ୍ତି ଓ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ଭାରତର ଆଭିମୁଖ୍ୟ ଜଣାଇବା ଉଦ୍ଦେଶ୍ୟରେ ଭାରତୀୟ ପ୍ରତିନିଧି ଦଳ ମାଲେସିଆର ଡେମୋକ୍ରାଟିକ୍ ଆକ୍ସନ ପାର୍ଟି (ଡିଏପି) ଏବଂ ପାର୍ଟି କିଦିଲାନ ରାକ୍ୟାତ (ପିକେଆର୍)ର ପ୍ରତିନିଧିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।
ଡିଏପି ସହିତ ବୈଠକର ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀଙ୍କ ବିଭାଗ (ଆଇନ ଓ ସଂସ୍ଥାଗତ ସଂସ୍କାର)ର ଉପମନ୍ତ୍ରୀ ୱାଇବି ତୁଆନ୍ ଏମ୍ କୁଲାସେଗାରାନ୍ ଭି ମୁରୁଗେସନ୍। ଆଞ୍ଚଳିକ ଶାନ୍ତି, ଆଇନଗତ ସହଯୋଗ ଓ ଆତଙ୍କବାଦ ବିରୋଧରେ ଲଢ଼େଇ ଉପରେ ଆଲୋଚନା ହୋଇଥିଲା। ପରେ ଏହି ପ୍ରତିନିଧି ଦଳ ଜାତୀୟ ଏକତା ଉପମନ୍ତ୍ରୀ ୱାଇବି ସିନେଟର ସରସ୍ୱତୀ କନ୍ଦସାମୀଙ୍କ ନେତୃତ୍ୱାଧୀନ ପିକେଆର୍ ପ୍ରତିନିଧିଙ୍କୁ ଭେଟିଥିଲେ। ଉଭୟ ବୈଠକରେ ଭାରତ ଓ ମାଲେସିଆ ମଧ୍ୟରେ ବଢୁଥିବା ସହଯୋଗ ଉପରେ ଆଲୋକପାତ କରାଯାଇଥିଲା। ଉପମନ୍ତ୍ରୀ କୁଲାସେଗାରାନ୍ ପହଲଗାମ ଘଟଣାକୁ ନିନ୍ଦା କରିବା ସହ ଭାରତ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି କହିଛନ୍ତି। ସେ କହିଥିଲେ, ଆମେ ଅନୁଭବ କରୁଛୁ ଯେ ଭାରତ ଏହାର ଜାତୀୟ ସ୍ୱାର୍ଥରକ୍ଷା ପାଇଁ ପଦକ୍ଷେପ ନେଇଛି। ଆମେ ଆଶା କରୁଛୁ ଯେ ସୀମାପାର ଆତଙ୍କବାଦ ଆଉ ହେବ ନାହିଁ।
ଏହି ମତକୁ ସମର୍ଥନ କରି ଉପମନ୍ତ୍ରୀ ସରସ୍ୱତୀ କନ୍ଦସାମୀ କହିଛନ୍ତି ଯେ ଭାରତୀୟ ପ୍ରତିନିଧି ଦଳ ଶାନ୍ତି ଓ ବିକାଶର ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ସର୍ବଦଳୀୟ ପ୍ରତିନିଧି ଦଳ ଭାରତ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ ଭାବେ ଜଣାଇଥିଲେ ଯେ ଭାରତ ଯୁଦ୍ଧ ପାଇଁ ଆଦୌଁ ଆଗ୍ରହୀ ନୁହେଁ। ମାଲେସିଆର ଆଭିମୁଖ୍ୟକୁ ଦୋହରାଇ ସରସ୍ୱତୀ କହିଛନ୍ତି, ଆମର ପ୍ରତିକ୍ରିୟା ଆମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ପଷ୍ଟ କରାଯାଇଛି – ଯେ ମାଲେସିଆ ମଧ୍ୟ ବିଶ୍ୱର ଯେ କୌଣସି ପ୍ରକାର ହିଂସା ପ୍ରତି ଶୂନ୍ୟ ସହନଶୀଳତା ରଖିଛି। ଭାରତୀୟ ପ୍ରତିନିଧି ଦଳରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବ୍ରିଜ ଲାଲା, ପ୍ରଦାନ ବରୁଆ, ହେମାଙ୍ଗ ଯୋଶୀ, ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀ, ସିପିଆଇ-ଏମ୍ର ଜନ୍ ବ୍ରିଟାସ୍ ଓ କଂଗ୍ରେସ ନେତା ସଲମାନ ଖୁର୍ସିଦ ଅଛନ୍ତି।