ପ୍ଲାଷ୍ଟିକ ହେଉଛି ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ, ଜଳ-ଗୋମାତାଙ୍କ ପ୍ରଥମ ଶତ୍ରୁ’
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ତୁଳନାରେ ଭାରତ କେବେ ବି ପ୍ରଦୂଷଣକାରୀ ରାଷ୍ଟ୍ର ଭାବରେ ପରିଗଣିତ ହୋଇନାହିଁ। ଭାରତ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରୁଥିବାର ସଭ୍ୟତା ଅଟେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୨୦୭୦ ସୁଦ୍ଧା ନେଟ୍- ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଥିରେ ୨୦୪୭ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ପରିବେଶ ସୁରକ୍ଷାର ମହାଯଜ୍ଞରେ ଆମ ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
‘ବିଶ୍ୱ ପରିବେଶ ଦିବସ’ ଅବସରରେ ଶ୍ରୀ ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଗୋଲମାର୍କେଟ୍ ସ୍ଥିତ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନଙ୍କ ସହ “ଏକ୍ ପେଡ୍ ମା’ କେ ନାମ ୨.୦” ଅର୍ଥାତ୍ “ମା’ଙ୍କ ନାମରେ ଗୋଟିଏ ଗଛ ୨.୦” ଅଭିଯାନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରକୃତିର ସୁରକ୍ଷା ସହ ଜଡିତ ମଡ୍ୟୁଲ୍, ପୋର୍ଟାଲ୍ ଏବଂ ମାଇକ୍ରୋସାଇଟ୍ ମଧ୍ୟ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପନାକୁ ଆଗକୁ ବଢାଇବା ଲକ୍ଷ୍ୟରେ ଆଜି ବିଶ୍ୱ ପରିବେଶ ଦିବସରେ ସମର୍ପିତ ସମସ୍ତ ପଦକ୍ଷେପ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବ। ପରିବେଶଗତ ଚ୍ୟାଲେଞ୍ଜର ମୁକାବିଲା କରିବାରେ ସେମାନଙ୍କର ଅଧିକକୁ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।