ଆମେରିକାର ହିଂସା: ୨,୦୦୦ ସୈନିକ ମୁତୟନ କଲେ ଟ୍ରମ୍ପ୍
ପାରାମାଉଣ୍ଟ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲସ୍ ଆଞ୍ଜେଲସ୍ରେ ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ୨,୦୦୦ କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡ ସୈନିକଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟପାଳ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି।
ଲସ୍ ଆଞ୍ଜେଲସ୍ରେ ଫେଡେରାଲ୍ ଇମିଗ୍ରେସନ୍ ଅଧିକାରୀମାନେ ଶୁକ୍ରବାର ଦିନ ଇମିଗ୍ରେସନ୍ ନିୟମ ଉଲ୍ଲଂଘନ କରିଥିବାରୁ ୪୪ ଜଣଙ୍କୁ ଗିରଫ କରିଥିଲେ। ଏହା ପରେ ଏକ ଫେଡେରାଲ୍ ଡିଟେନ୍ସନ୍ ସେଣ୍ଟର୍ ବାହାରେ ସଂଘର୍ଷ ହୋଇଥିଲା । ଅଧିକାରୀମାନେ ଏହି କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ କରିବାକୁ ଏକାଠି ହୋଇଥିବା ଲୋକମାନଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍ ସେଲ୍ ବ୍ୟବହାର କରିଥିଲେ।
ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ଏକ ବିବୃତିରେ କହିଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଲିଫର୍ନିଆରେ ବଢୁଥିବା ବିଶୃଙ୍ଖଳାର ମୁକାବିଲା କରିବା ପାଇଁ କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡ ସୈନ୍ୟଙ୍କୁ ନିୟୋଜିତ କରିଛନ୍ତି।
କାଲିଫର୍ନିଆ ରାଜ୍ୟପାଳ ଏବଂ ଡେମୋକ୍ରାଟିକ୍ ପାର୍ଟି ନେତା ଗାଭିନ୍ ନ୍ୟୁସମ୍ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ଏବଂ ସୋସେିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ରିପବ୍ଲିକାନ୍ ପାର୍ଟି ନେତା ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଏହି ପଦକ୍ଷେପ ଜାଣିଶୁଣି କେବଳ ଉତ୍ତେଜନାପୂର୍ଣ୍ଣ ବୃଦ୍ଧି କରିବ। ନ୍ୟୁସମ୍ କହିଛନ୍ତି. ଏହି ମିସନ ଠିକ୍ ନୁହେଁ। ଏହା ଜନସାଧାରଣଙ୍କର ସରକାରଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସକୁ ଭାଙ୍ଗିଦେବ।