ରାଜ୍ୟ

ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହିଦ,୨ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ କୋଣ୍ଟା ଥାନା ଅଂଚଳରେ ସୋମବାର ସକାଳେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହିଦ ହୋଇଥିବା ବେଳେ ୨ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ କୋଣ୍ଟା ଥାନା ଅଂଚଳ ଠାରୁ ବୁର୍କାପାଲ ରାସ୍ତାରେ ମାତ୍ର ଦୁଇ କିଲୋମିଟର ଦୂରରେ ଗତକାଲି ରାତିରେ ଏକ ପ୍ରୋକଲିନକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଥିଲେ। ଏହି ଖବର କୋଣ୍ଟା ପୁଲିସ ଖବର ପାଇବା ପରେ ସୁକମା ଜିଲ୍ଲାର ଅତିରିକ୍ତ ଏସପି ପ୍ରକାଶ ରାଓ ଗିରିପୁଞ୍ଜେ ଏକ ଟିମ ନେଇ ସେହି ଅଂଚଳ ଗସ୍ତ କରିଥିଲେ।

ତେବେ ପୂର୍ବରୁ ନକ୍ସଲ ଏଠାକୁ ନିଶ୍ଚିତ ଭାବେ ପୁଲିସ ଅଧିକାରୀ ପହଞ୍ଚିବା କଥା ଜାଣିଥିଲେ ‌ବୋଲି ଅନୁମାନ କରାଯାଉଛି। ତେଣୁ ସେମାନେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।

ଏଏସପି ପ୍ରକାଶ ରାଓ ସମେତ କୋଣ୍ଟା ଥାନା ଇନଚାର୍ଜ ଏବଂ ଏସଡିପିଓ ପ୍ରୋକଲିନ ନିକଟକୁ ଚାଲି ଚାଲି ଯିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଏଏସପି ପ୍ରକାଶ ରାଓ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଅଧିକାରୀ ମଧ୍ୟ ଛିଟିକି ପଡିଥିଲେ। ତେବେ ତୁରନ୍ତ ସେମାନଙ୍କୁ ଚିକିତ୍ସା ଲାଗି କୋଣ୍ଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଏଏସପି ପ୍ରକାଶ ରାଓଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଅଧିକାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *