ଗୁଳି କଲେ, ଜୀବନ୍ତ ଜାଳି ଦେଲେ: ବନ୍ଧୁକଧାରୀ ୧୦୦ଙ୍କୁ ନିର୍ମମ ଭାବରେ ହତ୍ୟା କରି ଗାଁକୁ ‘କବରସ୍ତାନ’ରେ ପରିଣତ କଲେ
ଆବୁଜା : ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗାଁରେ ଏକ ଆକ୍ରମଣରେ ବନ୍ଧୁକଧାରୀମାନେ ୧୦୦ରୁ ଅଧିକ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏହି ଘଟଣା କେନ୍ଦ୍ରୀୟ ନାଇଜେରିଆର ବେନୁ ରାଜ୍ୟର ୟେଲେୱାଟା ଗାଁରେ ଘଟିଛି।
ଆମନେଷ୍ଟି ଇଣ୍ଟରନ୍ୟାସନାଲ ନାଇଜେରିଆ ଶନିବାର ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗାଁରେ ବନ୍ଧୁକଧାରୀଙ୍କ ଦ୍ୱାରା ଏହି ଆକ୍ରମଣ ହୋଇଥିଲା ଏବଂ ଶନିବାର ସକାଳ ପର୍ଯ୍ୟନ୍ତ ବନ୍ଧୁକଧାରୀମାନେ ଗାଁରେ ଘରଘର ବୁଲି ଲୋକଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ।
ସମଗ୍ର ଗାଁ ଏକ ଖୋଲା କବରସ୍ତାନରେ ପରିଣତ ହୋଇଥିଲା। ଗାଁରେ ମୃତଦେହ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ି ରହିଥିଲା। ବନ୍ଧୁକଧାରୀମାନେ ଗୁଳି ମାରିବା ପରେ ଲୋକମାନେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।
ଫାର୍ଷ୍ଟପୋଷ୍ଟର ରିପୋର୍ଟ ଅନୁଯାୟୀ, ୟେଲେୱାଟାରେ ଏହି ଭୟଙ୍କର ଆକ୍ରମଣ ପରେ ଅନେକ ଲୋକ ନିଖୋଜ ଅଛନ୍ତି । ଏହି ଆକ୍ରମଣ ସମୟରେ କେହି ଖସି ପଳାଇଯିବାର ସମ୍ଭାବନା ଅଛି ଅବା ସେମାନଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି। ଆକ୍ରମଣରେ ବହୁ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ ଏବଂ ଚିକିତ୍ସା ପାଇଁ ସେମାନେ ଚିନ୍ତିତ ଅଛନ୍ତି। ସାମ୍ପ୍ରତିକ ସମୟରେ ବେନୁ ରାଜ୍ୟରେ ଏପରି ହତ୍ୟାକାଣ୍ଡର ଘଟଣା ଲଗାତାର ଦେଖାଯାଉଛି। ମୁସଲିମ ଏବଂ ଖ୍ରୀଷ୍ଟିଆନ ଜନସଂଖ୍ୟା ବିଶିଷ୍ଟ ଦେଶ ନାଇଜେରିଆରେ ବଢୁଥିବା ଆକ୍ରମଣ ଉପରେ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଚିନ୍ତା ପ୍ରକାଶ କରିଛି।