ମଦ ବନ୍ଦ ପାଇଁ ଶୁଣିଲାନି ପୁଲିସ; ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ନେତା
ନବରଙ୍ଗଗପୁର: ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମୋହରା ପଂଚାୟତ ତଥା ବରୀଗୁଡାଗାଁରେ ବେଆଇନ ମଦ କାରବାର ଚାଲୁଥିବାକୁ ନେଇ ବାରମ୍ବାର ଥାନାରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ପୁଲିସ କୌଣସି ପଦକ୍ଷେପ ନେଇ ନଥିଲେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଆଜି ବ୍ଲକ ଉପାଧ୍ୟକ୍ଷ ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ, ସରପଞ୍ଚ ଜଳନ୍ଧର ମାଝୀ, ବରୀଗୁଡ଼ା ଗ୍ରାମର ଭକ୍ତ ସାହୁ, କୈଳାଶ ଝାଙ୍କର, ମିଳନ ସାହୁ, ଦଶରଥ ସାହୁ, ମିଶ୍ରି ସାହୁ, ବସନ୍ତ ରାଉତ ପ୍ରମୁଖ ପଂଚାୟତବାସୀ ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଅଭିଯୋଗପତ୍ର ଦେଇଥିଲେ।
ଗ୍ରାମବାସୀ ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାଶଙ୍କୁ ଭେଟି ତୁରନ୍ତ ମଦ ବିକ୍ରି ବନ୍ଦ କରିବା ସହ ମଦ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିବା କହିଛନ୍ତି ପଂଚାୟତବାସୀ।
ଏହି ପଞ୍ଚାୟତବାସୀ ବାରମ୍ବାର ଚନ୍ଦାହାଣ୍ଡି ପୁଲିସ ନିକଟରେ ଅଭିଯୋଗ କରିବା ପରେ ବି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ବରଂ ଦିନକୁ ଦିନ ଚୋରା ଏବଂ ବେଆଇନ୍ ମଦ ବ୍ୟବସାୟ ଜୋର ଧରିବା ସହ ନିଶାଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ଗଣ୍ଡଗୋଳ, ମାରପିଟ୍। ଗାଁ ଗହଳିରେ ବିଶୃଙ୍ଖଳା ହେବା ସହ ଆଇନ୍ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ପଞ୍ଚାୟତର ମହିଳାମାନେ ଥାନା ଓ ବ୍ଲକ ଆଦି ସରକାରୀ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।