ବଗିରୁ ବଗି ଅଲଗା ହେଲା: ଅଧାରେ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍
କୋରାପୁଟ: ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ ପୁଣି ଅଘଟଣର ଶିକାର ହୋଇଛି। ଆଜି ସନ୍ଧ୍ୟାରେ ଏହି ଟ୍ରେନ୍ର ବଗିରୁ ବଗି ଅଲଗା ହେବା ଯୋଗୁଁ ଅଧାରେ ଅଟକିଛି। ଫଳରେ ଟ୍ରେନ୍ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଛନ୍ତି। ସୌଭାଗ୍ୟ ବଶତଃ ଏହି ଅଘଟଣରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇ ନାହିଁ।
ସୂଚନା ଅନୁସାରେ ଟ୍ରେନ୍ ନମ୍ବର ୧୮୪୪୮ (ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍) ଆଜି ଜଗଦଲପୁର ଠାରୁ ଅପରାହ୍ଣ ସାଢ଼େ ୪ଟାରେ ପହଞ୍ଚିବାର ଥିଲା। ଏହି ଟ୍ରେନ୍ଟି ଭୁବନେଶ୍ବରରେ ଆସନ୍ତାକାଲି (ମଙ୍ଗଳବାର) ପୂର୍ବାହ୍ଣ ୮ଟା ୨୦ରେ ପହଞ୍ଚିବାର ଥିଲା। ମାତ୍ର ଏଥିରେ ତ୍ରୁଟି ଯୋଗୁ ଆମଗୁଡ଼ା ନିକଟରେ ଟ୍ରେନ୍ର ବଗିରୁ ଅନ୍ୟ ବଗିଗୁଡ଼ିକ ଅଲଗା ହୋଇଯାଇଥିଲା। ଇଂଜିନ ପାର୍ଶ୍ବରେ ଥିବା କିଛି ବଗି ଘଟଣାସ୍ଥଳରୁ ବହୁ ଆଗକୁ ପଳାଇଥିଲା। ବାକି ବଗି ସୁବୁ ପଛପଟରେ ରହି ଯାଇଥିଲା। ଟ୍ରେନ୍ର କିଛି ବଗି ସହିତ ଇଂଜିନ ଆଗକୁ ପଳାଇ ଯିବା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ମାତ୍ର ସମସ୍ତ ଯାତ୍ରୀସୁରକ୍ଷିତ ଅଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟ୍ରେନ୍ ମରାମତି କାମ ଶୀଘ୍ର କରାଯିବା ପାଇଁ ଉଦ୍ୟମ ଜାରି ରହିଛି। ରାତି ବଢୁଥିବାରୁ ଯାତ୍ରୀମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଟ୍ରେନ୍ଟି ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବାକୁ ବିଳମ୍ବ ହେବାର ଆଶଙ୍କା କରାଯାଉଛି।