ରାଜ୍ୟ

ନୀତୀଶଙ୍କ ଉପରେ ରାଗିଗଲେ ରାଗିବ ମୁନ୍ନା: ଜେଡିୟୁ ଛାଡ଼ି ଆରଜେଡ଼ିରେ ସାମିଲ ହେବେ ସଲମାନ

ପାଟଣା: ଆଉ ମାସ କେଇଟା ପରେ ବିହାରରେ ବିଧାନସଭା ନିର୍ବାଚନ । ଚଳିତବର୍ଷ ନିର୍ବାଚନ ଥିବାରୁ ସରଗରମ ହେଲାଣି ରାଜନୈତିକ ପାଣିପାଗ । ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ଆରମ୍ଭ ହୋଇଯାଇଛି ଦଳ ଡିଆଁ ପର୍ବ । ଟିକେଟ୍ ଲୋଭରେ ବା ଦଳରେ ଅସନ୍ତୋଷ କାରଣରୁ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଛନ୍ତି ନେତା । ଆଉ ଏହାରି ଭିତରେ ନୀତୀଶ କୁମାରଙ୍କୁ ଲାଗିପାରେ ବଡ଼ ଝଟକା । ମୁସଲିମ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ଜେଡିୟୁ ଏମଏଲସି ସଲମାନ ରାଗିବ ମୁନ୍ନା ଜୁଲାଇ ୯ରେ ଆରଜେଡିରେ ଯୋଗ ଦେବାକୁ ଯାଉଛନ୍ତି । ସଲମାନ ରାଗିବ ମୁନ୍ନା ୱାକଫ ଆଇନ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରି ଏହି ନିଷ୍ପତ୍ତି ନେଇଛନ୍ତି । 

ନୱାଡ଼ାରେ ଯେଉଁଠି ମୁସଲମାନ ସମୁଦାୟ ଅଞ୍ଚଳ ଉପରେ ନୀତୀଶଙ୍କ ପଲ୍ଲା ଭାରି ଥିଲା ସେଠାରେ ଏବେ ନୀତୀଶ ଦୁର୍ବଳ ହେଉଥିବା ପରି ମନେ ହେଉଛି । ସଲମାନ ନୱାଡାରେ ଏକ ଟାଣୁଆ ନେତା ଥିଲେ । ଜନତାଙ୍କ ଭରସା ସଲମାନଙ୍କ ଉପରେ ରହିଛି । ସଲମାନଙ୍କ ଦୃଢ଼ ସଂଗଠନ ରହିଛି । ଆଉ ନିର୍ବାଚନ ପାଖେଇ ଆସୁଥିବା ବେଳେ ସଲମାନ ନୀତୀଶଙ୍କ ହାତ ଛାଡ଼ିବା କେଉଁଠି ନା କେଉଁଠି ତାଙ୍କ ଦଳ ଉପରେ ପ୍ରଭାବ ପକାଇବ ଏଥିରେ କୌଣସି ସନ୍ଦେହ ନାହିଁ । 

ସଲମାନ କହିଛନ୍ତି, ଜେଡିୟୁ ମୁସଲମାନଙ୍କ ପ୍ରତି ଅନ୍ୟାୟ କରିଛି । ମୁସଲମାନଙ୍କ ପ୍ରତି ଦୋମୁହାଁ ନୀତି ଆପଣାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସଲମାନ ରାଗିବ ମୁନ୍ନାଙ୍କ ବ୍ୟତୀତ ପୂର୍ବତନ ବିଧାୟିକା ପୂର୍ଣ୍ଣିମା ଯାଦବ ଏବଂ କୌଶଲ ଯାଦବ ବି ଜେଡିୟୁ ଛାଡ଼ି ଆରଜେଡ଼ିରେ ସାମିଲ ହେବାକୁ ଯାଉଛନ୍ତି । ସଲମାନ ରାଗିବ ମୁନ୍ନା ପ୍ରାୟ ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମର୍ଥନ କରିଆସିଛନ୍ତି । ନୀତୀଶଙ୍କ ସାଥ୍ ଦେଇଆସିଛନ୍ତି, ଏବେ ଯଦି ନୀତୀଶଙ୍କ ହାତ ଛାଡ଼ନ୍ତି ତେବେ ନିର୍ବାଚନ ଫଳ ଉପରେ କି ପ୍ରଭାବ ପକାଇବ ତାହା ସମୟ ହିଁ କହିବ । 

ଅନ୍ୟପଟେ ନୱାଡ଼ାରେ ଜୁଲାଇ ୯ରେ ବଡ଼ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ତେଜସ୍ବୀ ଯାଦବ । ଏଥିପାଇଁ ସଲମାନ ରାଗିବ ମୁନ୍ନା ବଡ଼ ଦାୟିତ୍ବ ଗ୍ରହଣ କରିଛନ୍ତି । କର୍ଯ୍ୟକ୍ରମ ପାଇଁ ବିଶାଳ ପେଣ୍ଡାଲର ବ୍ୟବସ୍ଥା କରିବା ସହ, ବଡ଼ ଆୟୋଜନ କରିଛନ୍ତି । କୁହାଯାଉଛି ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଗୋଟିଏପଟେ ତେଜସ୍ବୀ ଯାଦବ ଆସୁଥିବା ବେଳେ ଅନ୍ୟପଟେ ନୀତୀଶଙ୍କୁ ଲଗାତାର ଟାର୍ଗେଟ୍ କରିଚାଲିଛନ୍ତି ସଲମାନ ରାଗିବ ମୁନ୍ନା । ସେ କହିଛନ୍ତି, ତେଜସ୍ବୀ ଯାଦବଙ୍କୁ ନେଇ ଉଠିଥିବା ସ୍ବର ପୂରା ମଗଧରେ ଗୁଞ୍ଜରିତ ହେବ । ଯାହା ନିର୍ବାଚନରେ ଏନଡିଏ ପାଇଁ ବି ଚିନ୍ତାର ବିଷୟ ପାଲଟିବ ।

Leave a Reply

Your email address will not be published. Required fields are marked *