ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି: ଜଗନ୍ନାଥ ପ୍ରଧାନ
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟରେ ଆଜି ରାତି ୯ଟା ୪୦ରେ ପହଞ୍ଚିଛନ୍ତି। ପୁଲିସ ସହିତ କଥା ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଗନ୍ନାଥ ପ୍ରଧାନ କହିଛନ୍ତି, ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ନହେଉ। ସରକାର ବଦନାମ ନହୁଅନ୍ତୁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି।
ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟରେ ପହଞ୍ଚିବା ନେଇ ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଡିସିପିଙ୍କ ଡାକରା କ୍ରମେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟକୁ ଆସିଛନ୍ତି।
ଜଗନ୍ନାଥ ପ୍ରଧାନ ଗତକାଲି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଡାକିଥିଲେ। ସେଥି ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲି। ରାଜ୍ୟ ସଭାପତିଙ୍କ ସହିତ କଥା ହେଲି। ତାଙ୍କର ସହିତ ମୋର ଆଲୋଚନା ହୋଇଛି। ଯେମିତି ଗୋଟେ ପରିବାରରେ ଆଲୋଚନା ହୁଏ, ସେହିଭଳି ଆଲୋଚନା ହୋଇଛି।
ତେବେ ଶ୍ରୀ ପ୍ରଧାନ ଦଳୀୟ ନେତୃତ୍ବଙ୍କ ସହିତ କ’ଣ କଥା ହେଲେ ସେନେଇ ମୁହଁ ଖୋଲି ନଥିଲେ। ଶ୍ରୀ ସାମଲ କେବଳ କହିଥିଲେ, ବିଏମ୍ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାର ସେବିଷୟରେ ଚନ୍ତା କରୁଛନ୍ତି। ଆମେ ଜଗନ୍ନାଥ ପ୍ରଧାନଙ୍କୁ ଆଲୋଚନା ପାଇଁ ଡାକିଥିଲୁ। ଦଳର ଆଭ୍ୟନ୍ତରୀଣ କଥା ଗଣମାଧ୍ୟମ ଆଗରେ କହିବା ଠିକ୍ ହେବ ନାହିଁ। ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ଜଗନ୍ନାଥ ପ୍ରଧାନ କଥା ହୋଇଛନ୍ତି। ଆମେ ବାହାରେ ବସିଥିଲୁ। ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟାକୁ ଆମେ ନିନ୍ଦା କରୁଛୁ।