ରାଜ୍ୟ

ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ଗାଡ଼ି ଉପରେ ଗାଡ଼ି ଚଢ଼ାଇ ଦୁର୍ବ୍ୟବହାର କଲେ ରାଜନେତାଙ୍କ ପୁଅ

 ରାଜନେତାଙ୍କ ଦୁର୍ଦାନ୍ତ ପୁଅର କଳା କାରନାମା ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଯୁବକ ଜଣକ ମଦ୍ୟପ‌ାନ କରି ଜଣେ ମରାଠୀ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ଗାଡ଼ି ଉପରେ ଗାଡ଼ି ଚଢ଼ାଇ ଦେବା ସହ ଇନ୍‌ଫ୍ଲୁଏନ୍ସରଙ୍କୁ ରାସ୍ତା ମଝିରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। 

ଯୁବକ ଜଣକ ହେଉଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ନେତା ଜାଭେଦ ଶେଖଙ୍କ ପୁଅ ରାହିଲ ଜାଭେଦ ଶେଖ। ମରାଠୀ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରାଜଶ୍ରୀ ମୋରେଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ପରେ ମୁମ୍ବାଇର ଆମ୍ବୋଲି ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି।

ଅଭିନେତ୍ରୀ ରାଖି ସାୱନ୍ତଙ୍କ ଘନିଷ୍ଠ ବନ୍ଧୁ ରାଜଶ୍ରୀ ମୋରେ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଦେଖାଯାଉଛି ଯେ ରାହିଲ ଜାଭେଦ ଶେଖ ତାଙ୍କ କାରକୁ ଧକ୍କା ଦେଇଛନ୍ତି। ଧକ୍କା ପରେ ରାହିଲ ତାଙ୍କ ଗାଡ଼ିରୁ ଓହ୍ଲାଇ ରାଜଶ୍ରୀଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ। ଭିଡିଓରେ, ରାଜନେତାଙ୍କ ପୁଅ ସାର୍ଟ କି ଗଞ୍ଜି କିଛି ନପିନ୍ଧି ମଦ୍ୟପାନ କରିଥିବା ପରି ମନେ ହେଉଛନ୍ତି।

ଏହି ଘଟଣା ପରେ ରାଜଶ୍ରୀ ମୋରେ ଆମ୍ବୋଲି ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜଶ୍ରୀ ରାହିଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏବଂ କହିଛନ୍ତି ଯେ ଘଟଣା ସମୟରେ ସେ ବିପଦଗ୍ରସ୍ତ ଅନୁଭବ କରୁଛନ୍ତି।

ସମ୍ପ୍ରତି, ରାଜଶ୍ରୀ ମୋରେ କିଛି ସପ୍ତାହ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ପରେ ଚର୍ଚ୍ଚା ପାଲଟିଥିଲେ। ଯେଉଁଥିରେ ସେ ସ୍ଥାନୀୟ ମହାରାଷ୍ଟ୍ରୀୟ ସମ୍ପ୍ରଦାୟ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *