ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା: ହାଇକୋର୍ଟଙ୍କ ପକ୍ଷରୁ କଂଗ୍ରେସ ଓ ବିଜେଡିକୁ ନୋଟିସ୍
ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମଦାହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ଷ୍ଟାଟସ୍ ରିପୋର୍ଟ ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ମାନସ ରଂଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ତଦନ୍ତର ଷ୍ଟାଟସ ରିପୋର୍ଟ ମୁଦା ଲଫାପାରେ ଦାଖଲ କରିଥିଲେ।
ଅନ୍ୟପଟେ ଆବେଦନକାରୀ ଶିବଶଙ୍କର ମହାନ୍ତି ଦର୍ଶାଇଥିଲେ ଯେ, ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଦିଆଯାଇଥିବା ବନ୍ଦ ଡାକରା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି। ବିଭିନ୍ନ ସ୍ଥାନରେ ରାଜନୈତିକ ଦଳର ଆହ୍ବାନକ୍ରମେ ବନ୍ଦ ପାଳିତ ହୋଇଥିଲା। ସାଧାରଣ ଲୋକେ ହଇରାଣ ହୋଇଥିଲେ। ଲୋକମାନେ ଡାକ୍ତରଖାନାରେ ମଧ୍ୟ ପହଞ୍ଚିବା ଅସମ୍ଭବ ହୋଇ ପଡ଼ିଥିଲା।
ଏଥି ସହିତ ବଳଙ୍ଗା ନାବାଳିକାଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ଘଟଣା ପରେ ଏମ୍ସର ବର୍ଣ୍ଣ ୟୁନିଟ ସମ୍ମୁଖରେ ରାଜନୈତିକ ଦଳର କର୍ମୀମାନେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। ଫଳରେ ସେଠାରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଏମ୍ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି କଂଗ୍ରେସ ଓ ବିଜୁ ଜନତା ଦଳକୁ ନୋଟିସ୍ ଜାରି କରିଛନ୍ତି। ଅଗଷ୍ଟ ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏହି ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି, ୟୁଜିସି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ବିଜୁ ଜନତା ଦଳ ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି।