ନାବାଳିକାଙ୍କୁ ଉଦ୍ଧାର ପାଇଁ ଟଙ୍କା ମାଗିବା ମାମଲା: କୋର୍ଟରେ ହାଜର ହେବେ ଭଦ୍ରକ ଏସ୍ପି, ଧାମନଗର ଆଇଆଇସି, ଆଇଓ
ଅପହୃତା ନାବାଳିକାଙ୍କୁ ଉଦ୍ଧାର ପାଇଁ ପୀଡ଼ିତାଙ୍କ ବାପାଙ୍କ ନିକଟରୁ ପୁଲିସ ଅଧିକାରୀ ଅର୍ଥ ମାଗିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଯଦି ଏପରି ଅଭିଯୋଗ ସତ ହୋଇଥାଏ ତେବେ ଏହା ପୁଲିସ ପ୍ରଶାସନ ଉପରେ କଳଙ୍କ ଲଗାଉଛି ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଭଦ୍ରକ ଏସ୍ପି, ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏସ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପହୃତା ନାବାଳିକାଙ୍କ ବାପାଙ୍କ ପକ୍ଷରୁ ଦାୟର ହେବିୟସ କର୍ପସ ପିଟିସନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅଗଷ୍ଟ ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଜୁନ୍ ୨୫ରେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବେଳେ ଆବେଦନକାରୀଙ୍କ ତରଫରୁ ଏ ନେଇ ଧାମନଗର ଥାନାରେ ଏତଲା ଦିଆଯାଇଥିଲା। ନାବାଳିକାଙ୍କୁ ଉଦ୍ଧାର ପାଇଁ ପୁଲିସ ଗ୍ରହଣ କରୁଥିବା ପଦକ୍ଷେପ ସନ୍ତୋଷଜନକ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାୟର କରିଥିଲେ। ଜୁଲାଇ ୨୨ରେ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ନାବାଳିକାଙ୍କୁ ଉଦ୍ଧାର ପାଇଁ ଏକ ପୁଲିସ ଦଳ ଗଠନ କରାଯାଇଛି।