ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ନିର୍ମାଣ ଧିମେଇଛି: ୨୨୭୮୮ ଅସମ୍ପୂର୍ଣ୍ଣ

ସମସ୍ତଙ୍କ ମୁଣ୍ଡ ଉପରେ ଛାତ ରହିବ। ଘର ହୀନ ହୋଇ‌ କେହି ଯେଭଳି  ରହିବେ ନାହିଁ। ବାରମ୍ବାର ଭିଡିଓ କନଫେରନସିଂ, ଆକାଂକ୍ଷା ଜିଲ୍ଲାର ପ୍ରଭାରୀଙ୍କ କଡ଼ା ଚେତାବନୀ ପରେ ବି ସରକାରୀ ବାବୁଙ୍କୁ ବାରମ୍ବାର ତାଗିଦ୍ ପରେ ବି ଜିଲ୍ଲାରେ ଧାର୍ଯ୍ୟ ସଂଖ୍ୟକ  ପ୍ରଧାନମନ୍ତ୍ରୀ ଆବସ ଯୋଜନା, ବିଜୁ ପକ୍କା ଘର ଯୋଜନା ଘର ନିର୍ମାଣ ହୋଇପାରିନି। ଏପରିକି ବଳକା ଥିବା ଇନ୍ଦିରା ଆବସ ଘର ଗୁଡିକ ବି ସଂପୂର୍ଣ୍ଣ ହୋଇ ନ ପାରି ଫେଲ୍ ମାରିଥିଲା।

୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)  ୨୫୨୮୫ଟି ଓ ୨୮୪ଟି ବିଜୁ ପକ୍କାଘର ଯୋଜନାରେ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ତେବେ ୨୭୮୧ଟି ପିଏମ୍‌ଏଓ୍ବାଇ ଗୃହ ନିର୍ମାଣ ସରିଛି। ବିଜୁ ପକ୍କାଘରର ନିର୍ମାଣ କାମ ଆରମ୍ଭ ହୋଇନି। ଏପରିକି ଜିଲ୍ଲାରେ ମାତ୍ର ୧୦.୮୮ପ୍ରତିଶତ ଘର ନିର୍ମାଣ କାମ ହିଁ ସରିଛି। ଏହି ସ୍ଥିତିରେ ବଳକା ୨୨୭୮୮ଟି ଘର ନିର୍ମାଣ ପାଇଁ କେତେ ସମୟ ସୀମା ଲାଗିବ ତାହାକୁ ନେଇ ନୂଆରେ ଯୋଗ ଦେଇଥିବା ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଚିନ୍ତା ପ୍ରକଟ କରିଛନ୍ତି।

ଝରିଗାଁ ବ୍ଲକରେ ପିଏମ୍‌ଏଓ୍ବାଇ ୪୦୬୯ଟିରୁ ୩୬୮ଟିର ନିର୍ମାଣ  ସରିଛି।  ନନ୍ଦାହାଣ୍ଡିବ୍ଲକରେ ୧୪୭୯ରୁ ୧୪୨, ରାଇଘରବ୍ଲକରେ ୨୨୮୧ରୁ ୨୧, ଉମରକୋଟବ୍ଲକରେ ୩୦୩୭ରୁ ୩୦୦, କୋଷାଗୁମୁଡା ବ୍ଲକରେ ୨୧୧୩ରୁ ୨୧୦, ଡାବୁଗାଁ ବ୍ଲକରେ ୭୭୪ରୁ ୮୪, ପାପାଡାହାଣ୍ଡି ବ୍ଲକରେ ୨୫୮୦ରୁ ୨୯୧, ଚନ୍ଦାହାଣ୍ଡି ବ୍ଲକରେ ୨୮୧୦ରୁ ୩୩୩, ନବରଙ୍ଗପୁର ବ୍ଲକରେ ୧୪୩୮ରୁ ୧୯୧ ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୪୭୦୪ରୁ ୬୪୧ ନିର୍ମାଣ ସରିଛି।  ଜୁଲାଇ ମାସରେ ୧୦ଟି ବ୍ଲକରେ ୫୭୨ଟି ଘର ନର୍ମାଣ କାମ ସରିଛି।

ଝରିଗାଁ ବ୍ଲକରେ ବିଜୁ ପକ୍କା ଘର ୫୫ଟିର କାର୍ଯ୍ୟାଦେଶ ମିଳିଥିଲେ ହେଁ ଏଯାଏଁ ନିର୍ମାଣ ହୋଇନି। ସେହିପରି ନନ୍ଦାହାଣ୍ଡିବ୍ଲକରେ ୨୯, ରାଇଘରବ୍ଲକରେ ୨୧, ଉମରକୋଟବ୍ଲକରେ ୧୫, କୋଷାଗୁମୁଡା ବ୍ଲକରେ ୨୦, ଡାବୁଗାଁ ବ୍ଲକରେ ୫, ପାପାଡାହାଣ୍ଡି ବ୍ଲକରେ ୪୦, ଚନ୍ଦାହାଣ୍ଡି ବ୍ଲକରେ ୩୦, ନବରଙ୍ଗପୁର ବ୍ଲକରେ ୧୭ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୫୨ଟି ଏଭଳି ୨୮୪ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମଂଜୁର ହୋଇଛି। କିନ୍ତୁ ଏ ସବୁ ବ୍ଲକରେ ଗୋଟିଏ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପିଏମ୍‌ଏଓ୍ବାଇ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଠିକ୍‌ ସମୟରେ ଖାତାରେ ପୈଠ ହେଉଥିବା ବେଳେ ବିଜୁ ପକ୍କାଘର ଯୋଜନାରେ ସମସ୍ୟା ରହୁଥିବା କେତେକ ହିତାଧିକାରୀ କହିଛନ୍ତି।

ଗତ ଏପ୍ରିଲରୁ ଗତ ୫ତାରିଖ ଯାଏ ଏହି ଗୃହ ନିର୍ମାଣ କ୍ଷେତ୍ର ତଦାରଖ ପାଇଁ ଲକ୍ଷ୍ୟ ଦିଆଯାଇଥିଲା। ଜିଲ୍ଲାପରିଷଦ ଉନ୍ନୟନ ସମୀକ୍ଷାରେ ଜିଲ୍ଲାପାଳ ଆବାସ ଯୋଜନାର ସମୀକ୍ଷା  ବେଳେ ଜଣାପଡିଲା ଯେ ପାପାଡାହାଣ୍ଡି ବିଡିଓ ୨୫୨ପ୍ରତିଶତ ଗୃହ ନିର୍ମାଣକୁ  ଯାଇଛନ୍ତି। ସେହିପରି ୧୦୦ରୁ ୧୫୦ ପ୍ରତିଶତ ମଧ୍ୟରେ ନବରଙ୍ଗପୁର,ଡାବୁଗାଁ, ତେନ୍ତୁଳିଖୁଣ୍ଟି ରହିଛନ୍ତି। ୫୦ରୁ ୧୦୦ପ୍ରତିଶତ ମଧ୍ୟରେ ଉମରକୋଟ,କୋଷାଗୁମୁଡା, ଝରିଗାଁ ଓ ଚନ୍ଦାହାଣ୍ଡି ରହିଛନ୍ତି। ୧ରୁ ୫୦ ମଧ୍ୟରେ ରାଇଘର ଓନନ୍ଦାହାଣ୍ଡି ରହିଛନ୍ତି।

Leave a Reply

Your email address will not be published. Required fields are marked *