ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧି ବୃଦ୍ଧି
ଖରିଫ ଋତୁ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜିକରଣକୁ ନେଇ ପ୍ରେସମିଟ୍ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଛି।
ଏହି ପଞ୍ଜିକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଚାଷୀମାନଙ୍କ ସ୍ବାର୍ଥ ଓ ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି ନିମନ୍ତେ ପଶ୍ଚିମ ଓଡ଼ିଶାର ଜନ ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରେଇବା ପରେ ମୁଖ୍ୟମନ୍ତ୍ରୀ ଏହି ଅବଧିକୁ ବୃଦ୍ଧି କରିଛନ୍ତି।
ଏ ପର୍ଯ୍ୟନ୍ତ ୧୦ ଲକ୍ଷ ୯୩ ହଜାର ୨୨୦ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ହେବ। ଏଥିସହ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ଚାଷୀମାନଙ୍କୁ ଭ୍ରମିତ କରନ୍ତୁ ନାହିଁ ଆମ ସରକାର ଚାଷୀମାନଙ୍କ ସୁବିଧା ସୁଯୋଗକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଛନ୍ତି।