•ଆସନ୍ତା ମଙ୍ଗଳବାର ଓଡିଶା ପାଳି
•ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପ୍ରତି ଅନ୍ୟାୟ ସହ୍ୟ ନୁହେଁ : ସୁପ୍ରିମ କୋର୍ଟ
ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୫:
ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲାରେ ଚାଲିଥିବା ଶୁଣାଣିରେ ମାନ୍ୟବର ସୁପ୍ରିମ କୋର୍ଟ ୨୩ ସେପ୍ଟେମ୍ବର ୨୦୨୫ ଦିନ, ଅପରାହ୍ନ ୩.୩୦ରେ ଓଡିଶାର ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ମାମଲାକୁ ଶୁଣିବା ପାଇଁ ନିର୍ଦ୍ଧାରଣ କରିଛନ୍ତି।ଓଡିଶା ପକ୍ଷରୁ ସୁପ୍ରିମକୋର୍ଟରେ ଶ୍ରୀ ଅଶ୍ୱିନୀ ମୁଦୁଲି, ମୁଖ୍ୟ ଆବେଦନକାରୀ ଅଟନ୍ତି ଏବଂ ଆଇନଜୀବୀ ଶ୍ରୀମତୀ ଶ୍ରୀଷ୍ଟି ଅଗ୍ନିହୋତ୍ରୀ ମାମଲାଟିକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଉପସ୍ଥିତରହି ପରିଚାଳନା କରୁଛନ୍ତି ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀ ଶଙ୍କର ପ୍ରସାଦ ପାଣି ମାମଲାର ଅଗ୍ରଗତିକୁ ଓଡିଶା ଆବେଦନକାରୀଙ୍କ ପକ୍ଷରୁ ତଦାରଖ କରୁଛନ୍ତି।
ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିକଟରେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସତ୍ୟପାଠ ଅନୁଯାୟୀ,ଓଡିଶାର ସାଧାରଣ ବିଦ୍ୟାଳୟରେ ୮୬୬୮୯ ବିଶେଷ ଆବଶ୍ୟକତା ରଖୁଥିବା ଦିବ୍ୟାଙ୍ଗ ଶିଶୁ ନାମ ଲେଖାଇଛନ୍ତି।ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଧେଶରେ ଧାର୍ଯ୍ୟ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ୱତନ୍ତ୍ର ଶିକ୍ଷା ଅନୁପାତ ଆଧାରରେ ମୋଟ ୧୪୪୪୮ ସ୍ୱତନ୍ତ୍ର ଶିକ୍ଷକ ପ୍ରାରମ୍ଭିକ ସ୍ତରରେ ଆବଶ୍ୟକ,ଯେଉଁଥିରେ ପ୍ରାଥମିକ ସ୍ତରରେ ୮୬୬୯ ଓ ମାଧ୍ୟମିକ ସ୍ତରରେ ୫୭୭୯ ନିଯୁକ୍ତିର ଆବଶ୍ୟକତା ରହିଅଛି ୧୦:୧ ଓ ୧୫:୧ ଅନୁପାତ ଅନୁସାରେ।କ୍ଲଷ୍ଟର ଆଧାରରେ ଚାରିଟି ବିଦ୍ୟାଳୟ ପିଛାରେ ଗୋଟିଏ ସ୍ୱତନ୍ତ୍ର ଶିକ୍ଷକ ଗଣନା କଲେ ୧୨୨୬୮ ନିଯୁକ୍ତିର ଆବଶ୍ୟକତା ରହୁଛି।
ଓଡିଶା ସ୍ପେସିଆଲ ଏଜୁକେଟର ଫେଡେରେସନ ଫର ଦିବ୍ୟାଙ୍ଗର ସମ୍ପାଦକ ଶ୍ରୀ ଆୟୁଷ୍ମାନ ଚୌଧୁରୀ କହିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଓଡିଶା ସରକାର ତୁରନ୍ତ ସମ୍ପୂର୍ଣ୍ଣ ଆବଶ୍ୟକୀୟ ପଦବୀକୁ ପୂରଣ କରିବା ପାଇଁ ପ୍ରକ୍ରିୟା ଗ୍ରହଣ କରିବା ଆବଶ୍ୟକ ଏବଂ ନିଯୁକ୍ତିରେ ବିଳମ୍ବ କାରଣରୁ ଅନେକ ଦିବ୍ୟାଙ୍ଗ ଶିଶୁ ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଛନ୍ତି। ଓଏସଇଏଫଡିର ଉପସଭାପତି ଶ୍ରୀ ବିଶ୍ଵବିଜୟୀ ଦାଶ କହିଛନ୍ତି ଯେ, ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି ଓ ଯଥାଶୀଘ୍ର ଉକ୍ତ ବୈଠକର ନିଷ୍ପତ୍ତି ଅନୁସାରେ ନିଯୁକ୍ତିର ବିଜ୍ଞାପନ ପ୍ରକାଶ ପାଇବ ବୋଲି ଆଶା ବ୍ୟକ୍ତ କରୁଅଛୁ। ଓଏସଇଏଫଡିର ସଭାପତି ଶ୍ରୀ ସୁର୍ଯ୍ୟକାନ୍ତ ବେହେରା କହିଛନ୍ତି ଯେ, ଓଡ଼ିଶାରେ ପ୍ରାୟ ୧୨୦୦୦ ପ୍ରାର୍ଥୀ ସ୍ୱତନ୍ତ୍ର ଶିକ୍ଷାରେ ଡିପ୍ଲୋମା ଓ ବିଏଡ଼ ଯୋଗ୍ୟତାଧାରୀ ବେକାର ରହି ଘରେ ବସିଛନ୍ତି ଓ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ତାଲିମକୁ ଓଡିଶାର ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସେବା ପାଇଁ ବ୍ୟବହାର କରିବାକୁ ସରକାର ଦ୍ରୁତ ପଦକ୍ଷେପ ନେବା ଦରକାର।
