ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିର ତଦନ୍ତ କରିବ ସିବିଆଇ । କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ଭାର ପ୍ରଦାନ କରିଛନ୍ତି। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୪ରେ ମିଳିତ ପୋଲିସ ନିଯୁକ୍ତି ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ଅଭିଯୋଗର ତଦନ୍ତ କରିବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପରୀକ୍ଷୀରେ ଦୁର୍ନୀତି, ବେଆଇନ କାର୍ଯ୍ୟକଳାପ ସହ ପରୀକ୍ଷାକୁ ପ୍ରଭାବିତ କରିବାକୁ ସଂଗଠିତ ପ୍ରୟାସ ଏବଂ ନିଯୁକ୍ତି ପ୍ରକ୍ରିୟା ସହ ଜଡ଼ିତ ଅନ୍ୟାନ୍ୟ ଅପରାଧର ତଦନ୍ତ କରିବ ସିବିଆଇ।
ପୋଲିସ ସବ ଇନସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସହ ଅନ୍ୟ ରାଜ୍ଯକୁ ବ୍ୟାପିଥିବା ସନ୍ଦେହ କରାଯାଉଛି। ଏଥିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ଅନୁମାନ କରାଯାଉଛି। ଏହି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବା ସହ ବହୁ ତଥ୍ୟ ହାସଲ କରିଛି ।
